Zz Paaunaa (Oriya)
D
0
Altın Yaprak
ପାଉଣା
ତୁମେ କ’ଣ ଦେବ କବିର ପାଉଣା
ହିସାବୀ ଯୁଗର ହିସାବୀ ବେପାରୀ
ସଉଦା କର ତୁମେ କବିର କବିତା
ତମେ ପୁଣି ଦେବ କବିର ପାଉଣା?
କବିତାଟା ତୁମ ପାଇଁ ନିହାତ ଶସତା
ବରଫ ଦିଆ ମାଛଠୁ ବି ଶସ୍ତା
ରବିବାର ମାଛହାଟ ପରେ ବଳିଲେ ଦଶଟଂକା
ପରିବା ସଉଦା ପରେ ବଳିଲେ ଖୁଚୁରା କିଛିଟା
ତମେ ଯାଇ କିଣି ଆଣ ଖଣ୍ଡିଏ ପତ୍ରିକା
କେବେ ବା ଦୁଇଟା
ବଡ ଶସ୍ – ତା ।
ଦଶଟି ଟଂକାରେ ଦଶଗୋଟି ଗଳ୍ପ,
କୋଡିଏଟି କବିତା –
ଆରେ ବାଃ, ୟେ ତ ବଡ ଆଚ୍ଛା ସଉଦା
ପଚିଶି ପଇସାରେ ଗୋଟାଏ କବିତା
କବିତା ଗୋଟାକ ଅଣ୍ଡାଠାରୁ ଶସ୍ତା –
ତୁମେ ପୁଣି ଦେବ କବିର ପାଉଣା?
ପତ୍ରିକା ବିକାଳୀ ମୁଁହରେ ଦଶଟଂକା ଫୋପାଡି
ତୁମେ ବୋଧେ ଭାବିଦିଅ କବିକୁ
ତା’ର ମିଳି ଗଲା ପାଉଣା
ତୁମେ କ’ଣ ଦେବ କବିର ପାଉଣା?
କବିତାର ସମଝଦାର ତୁମେ ଯେଣୁ
ଆଜିକାଲି କିଣ ତୁମେ ଅପର୍ଯ୍ୟାପ୍ତ କବିତା
ପଢିବାକୁ ସେଲୁନରେ, ଶୌଚାଳୟରେ, ଟ୍ରେନରେ
ଟାଇମ୍ ପାସ୍ ପାଇଁ ପ୍ରେକ୍ଷାଳୟ ଧାଡିରେ ।
ଟାଇମ୍ ପାସ୍ ପାଇଁ ପୁଣି ୟା’ଠାରୁ ଆଉ
କ’ଣ ହୋଇପାରେ ଶସତା!
ତୁମେ ପୁଣି ଦେବ କବିର ପାଉଣା?
ତୁମେ ଖାଲି ଦେଖ କବିତାର କଳା ଧଳା ଗାର
ଦେଖନି ତା’ ପଛର ରକ୍ତ ଆଉ ଝାଳ
ହିସାବୀ ଯୁଗର ହିସାବୀ ବେପାରୀ
ତୁମେ କ’ଣ ଜାଣିବ କବିତା ଗୋଟାଏ
ଲେଖା ହୁଏନି ଦଶ ମିନିଟରେ
ଘଣ୍ଟାକରେ, କି ଦେଢ ଦିନରେ
ଯୁଗ ଯୁଗ ଲାଗିଯାଏ କବିତାକୁ ବେଳେ ବେଳେ
ଧରିବାକୁ ଅଂକୁର –
ଅନିଦ୍ରା ଉପାସରେ କବି ତା’କୁ
ଝାଳ ଦେଇ, ରକ୍ତ ଦେଇ ବଡ କରେ
ସଜେଇ ତୁମ ଆଗରେ ପେଶ କରେ
ତୁମେ ତା’କୁ ପଢି ଦେଇ ବିକି ଦିଅ
ଠୁଙ୍ଗା ବାଲାକୁ
ପଚାଶ ପଇସା ଦରରେ –
ତୁମେ କ’ଣ ଦେବ କବିର ପାଉଣା? ?
- - o- -
Bu şiiri puanla
Henüz puan verilmemiş